
ଦମନ ଟିଭି ନ୍ୟୁଜ –
ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମର ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।ଅନ୍ୟପଟେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ତେବେ କେନ୍ଦ୍ରାପଡା ଓ କଟକ ଲୋକସଭାରୁ ଅନୁଭବଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିରେ ସାମିଲ ହେଉଥିବା କୁହାଯାଉଛି। କାରଣ ଉଭୟ କେନ୍ଦ୍ରାପଡା ଓ କଟକ ପାଇଁ ବିଜେଡି ଅନ୍ୟ ଦୁଇ ଜଣଙ୍କୁ ପ୍ରାର୍ଥୀ କରି ସାରିଛି। କଟକରୁ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର କେନ୍ଦ୍ରାପଡାରୁ ଅନୁଭବଙ୍କ ଟିକେଟ କାଟି ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି ବିଜେଡି। ଅନ୍ୟପଟେ ବିଜେପି କେନ୍ଦ୍ରାପଡା ପାଇଁ ବୈଜନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଯାଏଁ କଟକ, ଯାଜପୁର ଓ କନ୍ଧମାଳ ପାଇଁ କାହାକୁ ପ୍ରାର୍ଥୀ କରିନି ବିଜେପି।
